ବିଶ୍ଵ ବିଜୟୀ ଦକ୍ଷତାରେ ଓଡ଼ିଶା, ବିଶ୍ଵ ସର୍ବୋତ୍ତମ

ହାର ମାନିନଥିବା ମଣିଷ

02 ଅଗଷ୍ଟ 2017
ଶେୟାର କରନ୍ତୁ :

ପଶ୍ଚିମ ଓଡିଶାର ଦରିଦ୍ର ଆଦିବାସୀ ପରିବାରର ଝିଅ ମୁନି ଟିଗା। ଘରେ ସାତ ଭାଇ ଭଉଣୀ। ଚଳିବାରେ, ଖାଇବାରେ ଅସୁବିଧା। କିନ୍ତୁ ପିଲାଦିନରୁ ମୁନିଙ୍କର ପାଠରେ ବହୁତ ମନ। ସେଥିପାଇଁ ତାଙ୍କ ବାପା ତାଙ୍କୁ ସରକାରୀ ସ୍କୁଲରେ ନାଁ ଲେଖାଇ ଦେଇ ହଷ୍ଟେଲରେ ରଖେଇଦେଲେ। କିନ୍ତୁ ମ୍ୟାଟ୍ରିକ୍‌ ପରୀକ୍ଷା ପରେ ତାଙ୍କୁ ଆଉ ଅଧିକ ପଢେଇବାର ସଙ୍ଗତି ଘରେ ନ ଥିଲା। ସେତେବେଳେ ବହୁତ କଷ୍ଟ କରିଥିଲେ ମୁନି। ପନ୍ଦର ଟଙ୍କା ପାଇଁ ଦିନ ମଜୁରୀ କରିଥିଲେ। ଗାଈ ଚରେଇଥିଲେ। ହେଲେ ଗାଈ ଚରେଇବା ବେଳେ ବି ପାଖରେ ରହୁଥିଲା ବହି ବସ୍ତାନୀଟିଏ। ମୁହୂର୍ତ୍ତେ ସମୟ ପାଇଲେ ସେ ବହି ଧରି ବସୁଥିଲେ। କିଛି ଦିନ ପରେ ଘରୁ ୩୭ କିଲୋମିଟର ଦୂର ଅନ୍ୟ ଗୋଟିଏ ଜାଗାରେ କାମ ମିଳିଲା। ମଜୁରି ଦିନକୁ ଟ୫୦.୫୨ ପଇସା। ସେତେବେଳେ ଭୀଷଣ ପରିଶ୍ରମ କରିବାକୁ ପଡୁଥିଲା ତାଙ୍କୁ। ରାତି ଚାରିଟାରୁ ଉଠି ମା’ ଯାହା ରାନ୍ଧି ଦେଉଥିଲେ, ତାକୁ ଟିଫିନ୍‌ରେ ପୂରେଇ ସାଇକେଲେରେ ୩୭ କିଲୋମିଟର ବାଟ ସେ ଯାଉଥିଲେ। କାମ ସାରି ଘରକୁ ଫେରୁ ଫେରୁ ରାତି ଆଠ। ଦରମା ଟଙ୍କା ସେ ମା’ଙ୍କ ହାତରେ ଦେଇଦେଉଥିଲେ। ମା’ ଯିବା ଆସିବା ଖର୍ଚ୍ଚ ପାଇଁ ଦଶ ଟଙ୍କା ତାଙ୍କୁ ଦେଇ ବାକୀ ଟଙ୍କା ରଖି ନେଉଥିଲେ। ଛଅ ମାସର କଠିନ ପରିଶ୍ରମ ପରେ ମୁନି ଯେତେବେଳେ +୨ ପଢିବାକୁ ଦୂରକୁ ଯିବାକୁ ଚାହିଁଲେ, ସେତେବେଳେ ମା’ ସେଇ ସଞ୍ଚିତ ଅର୍ଥ ଝିଅ ହାତରେ ଧରେଇ ଦେଇଥିଲେ। ଏଥର ମୁନି ଘର ଭଡା ନେଇ ନିଜେ ରୋଷେଇ କରି ଖାଇ ମନ ଦେଇ ପାଠ ପଢିଲେ। ତାଙ୍କର ଅଧ୍ୟବସାୟ ଦେଖି ପରିଚିତ କେତେ ଜଣ ଆଇଟିଆଇ ଯୋଗ ଦେବା କଥା କହିଲେ। ଆଇଟିଆଇ ପାଠ ଶେଷ ହେଲା। ଏଥର ମୁନିଙ୍କର ସ୍ବପ୍ନ ଭାରତୀୟ ରେଳରେ ଲୋକୋ ପାଇଲଟ୍‌ ହେବା। ସେଥିପାଇଁ ସେ ଭାରତୀୟ ରେଳରେ ପରୀକ୍ଷା ଦେଲେ ଏବଂ ସଫଳ ମଧ୍ୟ ହେଲେ। ଏବେ ସେ ଶତାବ୍ଦୀ ଏକ୍‌ସ୍‌ପ୍ରେସ୍‌କୁ ଭୁବନେଶ୍ବରରୁ ଟାଣି ପଲାଶା ପର୍ଯ୍ୟନ୍ତ ନିଅନ୍ତି; ପୁଣି ଫେରାଇ ଆଣନ୍ତି।

ଦକ୍ଷତା ବିକାଶ ପ୍ରାଧିକରଣର ସମ୍ମାନ ଉତ୍ସବରେ ବହୁ ଚର୍ଚ୍ଚିତ କଳାକାର ଶ୍ରୀ କୁନା ତ୍ରିପାଠୀ ମୁନିଙ୍କୁ ପଚାରିଥିଲେ ଯେ ଏଭଳି କଠିନ ପରିସ୍ଥିତି ଦେଇ ଗତି କରିବା ବେଳେ ଯେଉଁ କଷ୍ଟ ସେ ପାଇଥିଲେ, ସେ ବିଷୟରେ ସେ କିଛି କହିବେ କି? ମୁନି ଟିଗା ଅଳ୍ପ କଥାର ମଣିଷ। ସେ କହିଥିଲେ, ‘ସବୁଦିନେ ଆଉ କେତେ କଷ୍ଟରେ ରହିବା? ଏମିତି କିଛି କରିବା, ହୁଏତ ସବୁଦିନ ପାଇଁ ଯାଇପାରିବନି, କିଛିଟା ତ ଲାଘବ କରିବ !’

ଏଇଭଳି କଷ୍ଟକୁ କଷ୍ଟ ବୋଲି ମନେ କରି ନ ଥିବା ଆଉ ଜଣେ ମଣିଷ ହେଉଛନ୍ତି ବାଲୁକା ଶିଳ୍ପୀ ହିସାବରେ ଆନ୍ତର୍ଜାତିକ ଖ୍ୟାତି ଅର୍ଜିଥିବା ଓଡିଶାର ଗର୍ବ ପଦ୍ମଶ୍ରୀ ଶ୍ରୀ ସୁଦର୍ଶନ ପଟନାଏକ। ପୁରୀ ସହରର ମର୍ଚିକୋଟ ଗଳିରେ ଘର। କୌଣସି କାରଣରୁ ବାପା ଘର, ପରିବାର ଛାଡିଚାଲିଗଲେ। ଘରେ ମା’, ତିନି ଭାଇ। ମା’ ନିଜର ଆଶା ଆକାଂକ୍ଷା, ଆନନ୍ଦ - ସବୁକୁ ତୁଚ୍ଛ କରି ପିଲାଙ୍କୁ ମଣିଷ କରିବାକୁ ଚାହିଁଲେ। ତାଙ୍କର ଲକ୍ଷ୍ୟ ଥିଲା ସ୍ଥିର, ମନରେ ଥିଲା ଦମ୍ଭ, କିନ୍ତୁ ସାମର୍ଥ୍ୟ ନ ଥିଲା। ସେଥିପାଇଁ ସୁଦର୍ଶନଙ୍କୁ ନିଜ ଗୋଡରେ ଠିଆ ହେବାକୁ ହେଲା। ବୟସ କମ୍‌, କାମ ଦେବ କିଏ? ଶେଷରେ ତାଙ୍କର ପଡୋଶୀ ଓଡିଶାର ପ୍ରଥମ ଚଳଚ୍ଚିତ୍ର ନିର୍ମାତା ମୋହନ ଦେବ ଗୋସ୍ବାମୀଙ୍କର ଘରେ ଘରକାମ, ବଜାର ସଉଦା କରିବା ଦାୟିତ୍ବ ତାଙ୍କୁ ମିଳିଲା। ଦରମା ନାହିଁ, କେବଳ ରହିବା, ଖାଇବାର ବ୍ୟବସ୍ଥା। 

ଘରର ନିତିଦିନିଆ କାମ କରୁକରୁ ସୁଦର୍ଶନଙ୍କ ଭିତରେ ପିଲାଦିନରୁ ରହିଥିବା ଆଙ୍କିବା ପ୍ରତି ଆଗ୍ରହ ପୁଣି ମୁଣ୍ଡ ଟେକିଲା। କିନ୍ତୁ ଯାହା ହାତରେ ପଇସାଟିଏ ନାହିଁ, ସେ କେମିତି ତୂଳୀ, ରଙ୍ଗ, କ୍ୟାନ୍‌ଭାସ୍‌ର ବ୍ୟବସ୍ଥା କରିବ? ସୁଦର୍ଶନ ବୁଲି ଚାହିଁଲେ ସମୁଦ୍ରତଟର ବେଳାଭୂମିକୁ। ସେଇ ହୋଇଗଲା ତାଙ୍କର କ୍ୟାନ୍‌ଭାସ୍‌। ହାତର ଆଙ୍ଗୁଠି ତୂଳୀ। କିନ୍ତୁ ଘରକାମରେ ଅବହେଳା କରିଲେ ତ ଚଳିବ ନାହିଁ। ସେଥିପାଇଁ ରାତି ତିନିଟା, ଚାରିଟାରେ ଉଠି ବେଳାଭୂମିକୁ ଧାଇଁଯାଉଥିଲେ ସୁଦର୍ଶନ। ସକାଳ ହେବାକ୍ଷଣି ପୁଣି ଫେରି ଆସୁଥିଲେ ଘରକାମ କରିବାର ଜଗତକୁ। ତାଙ୍କର କଳାକୁ ସପ୍ରଂଶସ ଦୃଷ୍ଟିରେ ଦେଖୁଥିଲେ ବେଳାଭୂମିରେ ଯାତାୟାତ କରୁଥିବା ମଣିଷମାନେ। ପୁଣି କିଏ କିଏ ତାଙ୍କର କାର୍ଯ୍ୟରେ ତୃଟି ଦେଖୁଥିଲେ। ସୁଦର୍ଶନ ନିନ୍ଦାପ୍ରଶଂସା ଉଭୟକୁ ମନପ୍ରାଣ ଦେଇ ଗ୍ରହଣ କରିଥିଲେ। ସେ ଏବେ କୁହନ୍ତି ଯେ ତାଙ୍କର ପ୍ରତିଭାର ବିକାଶ ପାଇଁ ସେସବୁ ଥିଲା ଅମୂଲ୍ୟ।

ବାଲିର କଳାକୃତି। ହଜିଯିବାକୁ ସମୟ ଲାଗେ ନାହିଁ। ସୁଦର୍ଶନ ବୁଝିଗଲେ ଯେ କଳାକୃତିର ଫଟୋ ଉଠାଇ ରଖିବା ବହୁତ ଜରୁରୀ। ହେଲେ ଗୋଟିଏ ଫଟୋ ଉଠାଇବାର ଖର୍ଚ୍ଚ ସେତେବେଳେ ଦୁଇ ଟଙ୍କା। ସାମର୍ଥ୍ୟ କାହିଁ? ଅଥଚ ସାହାଯ୍ୟର ହାତ ବଢାଇଦେଲେ ଆଖପାଖର ଦୋକାନୀମାନେ। ଚାରି ଅଣା, ଆଠ ଅଣା ବଢେଇ ଦେଲେ ସେମାନେ। ସେତକ ଠୁଳ କରି ନିଜ କଳାକୃତିର ଫଟୋ ଉଠାଇ ରଖିଲେ ସୁଦର୍ଶନ ଏବଂ ଖୁବ୍‌ ଶୀଘ୍ର ପୋର୍ଟ୍ରେଟ୍‌ ଆଲ୍‌ବମ୍‌‌ଟିଏ ବି ହୋଇଗଲା। ତାକୁ ଦେଖି ଆମେରିକାର ଆନ୍ତର୍ଜାତିକ କମ୍ପିଟିସନ୍‌ରେ ଦିନେ ଭାଗ ନେବାର ସୁଯୋଗ ମିଳିଲା। ଏଠୁ ସେଠୁ ସାହାଯ୍ୟ ମାଗି ଟିକେଟ୍‌ ଖର୍ଚ୍ଚ ତ ଉଠିଗଲା, କିନ୍ତୁ ମାର୍କ୍ିନ୍ ଦୂତାବାସରେ ତାଙ୍କୁ ନିରାଶ ଓ ଅପମାନିତ ହୋଇ ଫେରିବାକୁ ହେଲା। ସମ୍ପତ୍ତି ନ ଥିବା, ଟଙ୍କା ନ ଥିବା ଜଣେ ମଣିଷକୁ ସେମାନେ ଭିସା ଦେଲେ ନାହିଁ।

କଷ୍ଟ ପାଇଥିଲେ ସୁଦର୍ଶନ, କିନ୍ତୁ ଭାଙ୍ଗି ପଡି ନ ଥିଲେ। ଆଗ ଭଳି ବେଳାଭୂମିରେ ନିଜ କଳା ଜାରି ରଖିଲେ। ଏଥର ତାଙ୍କୁ ଇଉରୋପରୁ ନିମନ୍ତ୍ରଣ ମିଳିଲା ଏବଂ ମିଳିଲା ଅଭାବନୀୟ ଆଦର, ସମ୍ମାନ। ତା’ର କିଛି ଦିନ ପରେ ଅପମାନିତ କରି କେବେ ଭିସା ନ ଦେବାର ଷ୍ଟାମ୍ପ୍‌ ଲଗେଇଦେଇଥିବା ମାର୍କିନ୍‌ ଦୂତାବାସ ସସମ୍ମାନ ତାଙ୍କୁ ନିମନ୍ତ୍ରଣ କରି ଭିସା ଦେଲା ଏବଂ ପର୍ମାନେଣ୍ଟ୍‌ ଭିସା ଦେବା ପାଇଁ ଚାହିଁଲା। ନମ୍ରତାର ସହିତ ସୁଦର୍ଶନ ପର୍ମାନେଣ୍ଟ୍‌ ଭିସା ଗ୍ରହଣ କରିବାକୁ ମନା କରିଦେଲେ। କହିଥିଲେ, ଭାରତ ହିଁ ତାଙ୍କର କର୍ମଭୂମି। ସେ ଏଇଠି ରହି ନିଜର ସ୍ୟାଣ୍ଡ୍‌ ଆର୍ଟ୍‌କୁ ଲୋକଲୋଚନକୁ ଆଣିବେ। ମାର୍କିନ୍‌ ଦୂତାବାସ ତାଙ୍କୁ ୨୦ ବର୍ଷର ଭିସା ଦେଲା ଏବଂ ଭିସା ପାଇଁ ଜମା କରିଥିବା ଚେକ୍‌ ଫେରସ୍ତ ଦେଇ ଜଣାଇଲା ଯେ ବେଳାଭୂମି ପରି ସେମାନଙ୍କ ଦ୍ବାର ସବୁବେଳେ ସୁଦର୍ଶନଙ୍କ ପାଇଁ ଖୋଲା ରହିବ।

ଜୀବନର ଚଲାପଥରେ ଅନେକ ବାଧା ଆସିବ, ଆସିବ ବହୁରକମର ଯନ୍ତ୍ରଣା। କିନ୍ତୁ ମୁନି ଟିଗା ଓ ସୁଦର୍ଶନ ପଟନାଏକଙ୍କ ଭଳି ସେସବୁକୁ ସାଥୀ କରିନେଇ ଦୃଢ ଚିତ୍ତରେ ଆଗେଇଗଲେ ନିଶ୍ଚିତ ଭାବରେ ଦିନେ ସଫଳତା ମିଳିବ। ଜୀବନରେ ଉନ୍ନତି କରିବା ପାଇଁ କେବଳ ପ୍ରତିଭା ଯଥେଷ୍ଟ ନୁହଁ, ଏହା ସାଙ୍ଗରେ କଷ୍ଟକୁ ସହିବାର, ସାଥୀ କରିବାର ମଧ୍ୟ ଆବଶ୍ୟକତା ରହିଛି।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।